IND vs AFG T20: ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

IND vs AFG T20: ନୂଆଦିଲ୍ଲୀ: ଚଳିତ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ବିଜୟ ହାସଲ କରିନେଇଛି। ମୋହାଲିରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି। ଟସ ଜିତି ଘରୋଇ ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ଓଭରରେ ୫ ୱିକେଟ ହରାଇ ୧୫୮ ରନ ସଂଗ୍ରହ କରିନେଇଥିଲା। ଜବାବରେ ୧୫ ବଲ ବାକି ଥାଇ ଭାରତ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଶିବମ ଦୁବେ ଅପରାଜେୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ଅକ୍ଷର ପଟେଲ ଓ ମୁକେଶ କୁମାର ଦୁଇଟି ଲେଖାଏଁ ୱିକେଟ ହାସଲ କରିଥିଲେ।

ଆମନ୍ତ୍ରଣ ପାଇ ଭ୍ରମଣକାରୀ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପକ୍ଷରୁ ରେହମାନୁଲ୍ଲାହ ଗୁରବାଜ ଓ ଇବ୍ରାହିମ ଜାରଦାନ ପାଳି ଆରମ୍ଭ କରିଥିଲେ। ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଉଭୟ ଓପନର ଦଳ ପାଇଁ ବେଶ ମଜବୁତ ଆରମ୍ଭ କରିଥିଲେ। ମାତ୍ର ଦଳୀୟ ସ୍କୋର ୫୦ ବେଳେ ଆଫଗାନିସ୍ତାନ ଉଭୟ ଓପନରଙ୍କୁ ହରାଇଥିଲା। ଗୁରବାଜ ୨୩ ଓ ଇବ୍ରାହିମ ୨୫ ରନ କରି ପାଭିଲିୟନ ଫେରିଥିଲେ। ପରେ ଦଳ ଏକ ବଡ଼ ସ୍କୋର ପାଇଁ ସଂଘର୍ଷ କରୁଥିବା ବେଳେ ମହମ୍ମଦ ନାବି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ସେ ୨୭ ବଲ ଖେଳି ବ୍ୟକ୍ତିଗତ ୪୨ ରନର ଲଢୁଆ ସ୍କୋର କରିଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଆଜମାତୁଲ୍ଲା ଓମରଜାଇ ୨୯, ନାଜିବୁଲ୍ଲାହ ଜାରଦାନ ଅପରାଜିତ ୧୯, କରିମ ଜନ୍ନତ ୯ ରନ କରିଥିଲେ। ଭାରତ ପକ୍ଷରୁ ମୁକେଶ କୁମାର ଓ ଅକ୍ଷର ପଟେଲ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ଶିବମ ଦୁବେ ଗୋଟିଏ ୱିକେଟ ହାତେଇଥିଲେ। ଦଳ ୨୦ ଓଭରରେ ୧୫୮ ରନ ସ୍କୋର କରିଥିଲା।

ଜବାବରେ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ଶୁବମନ ଗିଲ ଓ ରୋହିତ ଶର୍ମା ପାଳି ଆରମ୍ଭ କରିଥିଲେ। ପ୍ରଥମ ଓଭରର ଦ୍ୱିତୀୟ ବଲରେ ରୋହିତଙ୍କୁ ଆଉଟ କରି ଆଫଗାନିସ୍ତାନ ପ୍ରଥମ ସଫଳତା ପାଇଥିଲା। ଖାତା ଖୋଲି ନ ପାରି ରୋହିତ ପାଭିଲିଅନକୁ ଫେରିଥିଲେ। ପରେ ଶୁବମନ ଗିଲ ଓ ତିଲକ ବର୍ମା ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ୩.୫ ଓଭରରେ ଶୁବମନ ଗିଲ ୨୩ ରନ କରି ଆଉଟ ହୋଇଥିଲେ। ଦୁଇଟି ୱିକେଟ ହରାଇ ଘରୋଇ ଦଳ ସଂକଟରେ ରହିଥିଲା। ତେବେ ଏହି ସମୟରେ ଶୁବମନ ଗିଲ ଦଳର ମଙ୍ଗ ସମ୍ଭାଳିଥିଲେ। ରକ୍ଷଣଶୀଳ ବ୍ୟାଟିଂ କରି ଶିବମ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେ ବ୍ୟକ୍ତିଗତ ୬୦ ରନ କରିବା ସହିତ ଦଳ ପାଇଁ ବିଜୟ ଆଣିଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ତିଲକ ବର୍ମା ୨୬, ଜିତେଶ ଶର୍ମା ୩୧ ରନ କରି ଆଉଟ ହୋଇଥିଲେ। ରିଙ୍କୁ ସିଂହ ୧୬ ରନ କରି ଅପରାଜିତ ରହିଥିଲେ। ଆଫଗାନିସ୍ତାନ ପକ୍ଷରୁ ମୁଜିବୁର ରେହମାନ ଦୁଇଟି ଓ ଆଜମାତୁଲ୍ଲାହ ଓମରଜାଇ ଗୋଟିଏ ୱିକେଟ ହାତେଇଥିଲେ।

AfghanistanAfghanistan TourBCCIICCIND vs AFG T20Indialatest odia newsLatest Sports NewsMohaliRohit SharmaShivam DubeSports NewsT20 Series
Comments (0)
Add Comment