ଇତିହାସରେ ସ୍ବର୍ଣ୍ଣିମ ନାଁ ଲେଖିଲେ ନିରଜ

ନୂଆଦିଲ୍ଲୀ: ଆଥେଲିଟିକ୍ସରେ ଇତିହାସ ରଚିଛି ଭାରତ । ୧୨୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଜାଭେଲିନ ଥ୍ରୋରେ (ଆଥେଲିଟିକ୍ସରେ ପ୍ରଥମ) ସ୍ବର୍ଣ୍ଣ ପଦକ ହାତେଇଛି ଭାରତ (India)। ଏହି ପଦକ ହାତେଇବା ସହିତ ଭାରତକୁ ଗୌରବାନ୍ବିତ କରିଛନ୍ତି ଭାରତର ଜାଭେଲିନ ଥ୍ରୋୟର (Javelin Thorwer) ନିରଜ ଚୋପ୍ରା (Niraj Chopra)। ଟୋକିଓ (Tokyo Olympics) ଠାରେ ଚାଲିଥିବା ଅଲିମ୍ପିକରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ନିରଜ ସର୍ବାଧିକ ୮୭.୫୮ ମିଟର ଥ୍ରୋ କରି ଏହି ରେକର୍ଡ ଅର୍ଜନ କରିଛନ୍ତି ସେ । ରୌପ୍ୟରୁ ଆରମ୍ଭ ହୋଇଥିବା ଭାରତର ଅଲମ୍ପିକ ଯାତ୍ରା ସ୍ବର୍ଣ୍ଣ ପଦକରେ ଶେଷ ହୋଇଛି ।

ନିରଜ ତାଙ୍କର ପ୍ରଥମ ପ୍ରୟାସରେ ୮୭.୦୩ ଲମ୍ବ ଜାଭେଲିନ ଫିଙ୍ଗିଥିବା ବେଳେ ଦ୍ବିତୀୟ ପ୍ରୟାସରେ ୮୭.୫୮ ମିଟର ଓ ତୃତୀୟ ପ୍ରୟାସରେ ୭୬.୭୯ ମିଟର ଜାଭେଲିନ ଫିଙ୍ଗି ଥିଲେ । ସେହିପରି ଚତୁର୍ଥ, ପଞ୍ଚମ ଓ ଷଷ୍ଠ ରାଉଣ୍ଡରେ ଫାଉଲ ଥ୍ରୋ କରିଥିଲେ । ସେହିପରି ୮୬.୬୭ ମିଟର ରେକର୍ଡ ସହ ଚେକ ରିପବ୍ଲିକର ଜାକୁବ ଓ୍ୱେଦଲେଚ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ସେହି ରାଷ୍ଟ୍ରର ଓ୍ୱିତେସ୍ଲାଭ ଓ୍ୱେସଲି ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ନିରଜ ଦେଶ ପାଇଁ ଚଳିତ ଅଲମ୍ପିକରେ ପ୍ରଥମ ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ତେବେ ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ଭାରତକୁ ପଦକ ଦେବାରେ ନିରଜ ହେଉଛନ୍ତି ପ୍ରଥମ ଆଥଲେଟିକ୍ସ ।

୧୩ ବର୍ଷ ପରେ ସ୍ବର୍ଣ୍ଣ
ସେପଟେ ୧୩ ବର୍ଷ ପରେ ଭାରତକୁ ସ୍ବର୍ଣ୍ଣ ପଦକ ଜିତିବାର ସୁଯୋଗ ମିଳିଛି । ୨୦୦୮ ମସିହାରେ ଶେଷ ଥର ପାଇଁ ସ୍ବର୍ଣ୍ଣ ପଦକ ହାତେଇଥିଲା ଭାରତ । ସେହି ସମୟରେ ସୁଟର ଅଭିନବ ବିନ୍ଦ୍ରା ଏହି ପଦକ ହାତେଇଥିଲେ । ତେବେ ଦୀର୍ଘ ଦିନ ବ୍ୟବଧାନରେ ପୁଣି ଥରେ ଭାରତକୁ ଖାତାକୁ ସ୍ବର୍ଣ୍ଣ ପଦକ ଆସିଛି। ତେବେ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଦ୍ବିତୀୟ ଥର ଲାଗି ଭାରତକୁ ଏହି ସ୍ବର୍ଣ୍ଣ ପଦକ ମିଳିଛି ।

ପଦକରେ ରେକର୍ଡ
ନିରଜ ଏହି ପଦକ ହାତେଇବା ସହିତ ଭାରତ ପାଇଁ ସବୁଠାରୁ ସଫଳତମ ଅଲମ୍ପିକ ସାବ୍ୟସ୍ତ ହୋଇଛି । ପୂର୍ବରୁ ଲଣ୍ଡନ ଅଲମ୍ପିକରେ ଭାରତ ମୋଟ ୬ଟି ଅଲମ୍ପିକ ପଦକ ହାତେଇଥିଲା । ମାତ୍ର ତାହା ପରଠାରୁ ଏଭଳି ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ଚଳିତ ଅଲମ୍ପିକରେ ଭାରତ ସର୍ବାଧିକ ୭ଟି ପଦକ ହାତେଇଛି । ଏହି ୭ଟି ପଦକ ମଧ୍ୟରେ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ଅବଶିଷ୍ଟ କାଂସ୍ୟ ପଦକ ହାତେଇଛି ଭାରତ । ମୀରାବାଇ ଚାନୁ ଓ କୁସ୍ତି ରବି ଦହିୟା ରୌପ୍ୟ ପଦକ ହାତେଇଥିବା ବେଳେ ନିରଜ ଆଜି ସ୍ବର୍ଣ୍ଣ ପଦକ ହାତେଇଛନ୍ତି ।

ସ୍ବାଧୀନତା ପୂର୍ବରୁ ଆଥଲେଟିକରେ ଆସିଥିଲା ପଦକ
ଆଥଲେଟିକସରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହେଉଛନ୍ତି ନିରଜ ଚୋପ୍ରା । କାରଣ ଏହା ପୂର୍ବରୁ କୌଣସି ଭାରତୀୟ ଆଥଲେଟିକସରେ ପଦକ ହାତେଇ ପାରିନଥିଲେ । ସ୍ବାଧୀନତା ପୂର୍ବରୁ ବ୍ରିଟିଶ ଶାସିତ ଭାରତ ୧୯୦୦ ମସିହାରେ ଆଥଲେଟିକସରେ ପଦକ ହାତେଇଥିଲା । ୧୯୦୦ ମସିହାରେ ଅନୁଷ୍ଠିତ ଏହି ଅଲମ୍ପିକରେ ଭାରତ ପକ୍ଷରୁ ଖେଳୁଥିବା ନର୍ମନ ପ୍ରିଟଚାର୍ଡ ପଦକ ଜିତିଥିଲେ ମାତ୍ର ସେ ଭାରତୀୟ ନଥିଲେ । ତେଣୁ ଜଣେ ଭାରତୀୟ ଭାବେ ନିରଜ ପ୍ରଥମ ପଦକ ଜିତିଛନ୍ତି ।

ଜର୍ମାନ କୋଚଙ୍କ ନେତୃତ୍ବରେ ତାଲିମ
ଜର୍ମାନ କୋଚଙ୍କ ନେତୃତ୍ବରେ ତାଲିମ ନେଇଛନ୍ତି ନିରଜ ।ଜର୍ମାନର ବାୟୋ ମେକାନିକସ ଏକ୍ସପର୍ଟ କ୍ଲାଉସ ବାର୍ତ୍ତୋନିତଜଙ୍କ ଠାରୁ ତାଲିମ ସମୟରେ ନିଜର ଥ୍ରୋଇଁ ସ୍କିଲକୁ ବେଶ ମଜଭୁତ କରିପାରିଛନ୍ତି । ଏହି ତାଲିମରୁ ଫେରିବା ପରେ କ୍ରମାଗତ ଭାବେ ତାଙ୍କର ପ୍ରଦର୍ଶନରେ ଉନ୍ନତି ଦେଖିବାକୁ ମିଳିଛି ।

ଅଲମ୍ପିକ ପୂର୍ବରୁ ମଧ୍ୟ ନିରଜ ୫ଟି ବଡ଼ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ସାରିଛନ୍ତି । ସେ ଏସିଆନ ଗେମ୍ସ, କମନଓ୍ୱେଲ୍ଥ ଗେମସ, ଏସିଆନ ଚାମ୍ପିଅନସିପ, ସାଉଥ ଏସିଆନ ଗେମ୍ସ ଓ ଓ୍ବାର୍ଲଡ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ହାତେଇ ସାରିଛନ୍ତି ।

ସୁବେଦାରରୁ ସ୍ବର୍ଣ୍ଣ ବିଜେତା
ନିରଜ ହେଉଛନ୍ତି ହରିଆଣାର ପାନିପତ ଅଞ୍ଚଳର ମୁଳ ବାସିନ୍ଦା । ପିଲା ବେଳୁ ସେ ବେଶ ମୋଟା ରହିଥିଲେ । ଯୁବାବସ୍ଥା ପର୍ଯ୍ୟନ୍ତ ତାଙ୍କର ମୋଟା ପଣ ନ କମିବାରୁ ଆଥଲେଟିକସରେ ଯୋଗ ଦେଇଥିଲେ । ଓଜନ କମାଇବା ପାଇଁ ବାରମ୍ବାର ସେ ମୈଦାନରେ କସରତ କରିଥିଲେ । ନିଜନର ନିଷ୍ଠା ଯୋଗୁଁ ସେ ନିଜ ଏଜ ଗ୍ରୁପରେ ବେଶ ଭଲ ପ୍ରଦର୍ଶନ କରିଥିଲେ । ଏପରିକି ଏକାଧିକ ଟୁର୍ଣ୍ଣାମେଣ୍ଟରେ ବିଜୟୀ ଲାଭ କରିଥିଲେ । ୨୦୧୬ ମସିହାରେ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ ।

Javelin ThrowerNiraj ChopraTokyo Olympics
Comments (0)
Add Comment