ଜିଲ୍ଲା କଂଗ୍ରେସ ଆଜି ନିଜର ଦମ ଦେଖାଇଲା

ଅନୁଗୋଳ ୨୫।୯ ଆଜି ପୂର୍ବାହ୍ନରେ ହଜାର ହଜାର କଂଗ୍ରେସ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ବସଷ୍ଟାଣ୍ଡ ସ୍ଥିତ ରାଜାଛକଠାରୁ କଂଗ୍ରେସ ଭବନ ଯାଏ ନବ ନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କୁ ପାଚ୍ଛୋଟି ଆଣିଥିଲେ। ପ୍ରଥମେ ଶ୍ରୀ ପଟ୍ଟନାୟକ ମହାରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଓ ତାପରେ ଏକ ଖୋଲା ଜିପରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ଆସିଥିଲେ। କଂଗ୍ରେସ ଭବନଠାରେ ପହଞ୍ଚିବା ପରେ ତୋପ ସଲାମୀ ଦିଆଯାଇ ସଭାସ୍ଥଳକୁ ନିଆଯାଇଥିଲା। କଂଗ୍ରେସ ଭବନରେ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଯୋଗଦେଇ କଂଗ୍ରେସ କର୍ମୀମାନଙ୍କୁ ଏକଜୁଟ ହୋଇ କାମ କରିବା ସହ ଆଗାମୀ ନିର୍ବାଚନରେ କଂଗ୍ରେସ ନଅରୁ ନବେ ଆସନ ଜିତି ନିଶ୍ଚିତ ସରକାର ଗଠନ କରିବ ବୋଲି ଦୃଢତା ପ୍ରକାଶ କରିଥିଲେ। ସମସ୍ତ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଦେଖିପାରୁଛନ୍ତି ବୋଲି ସୂଚନା ଦେଇଥିଲେ। କର୍ମୀମାନଙ୍କୁ ସଫଳତାର ଗୁରୁମନ୍ତ୍ର ଦେବା ସହ ସମସ୍ତ କଂଗ୍ରେସ ପ୍ରେମୀ ମାନଙ୍କୁ ମନଭିତରୁ ସମସ୍ତ ପ୍ରକାର ଆବିଳତାକୁ ଦୂରେଇ ଏକ ମନ ଏକ ପ୍ରାଣରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ରାଜ୍ୟରେ ନଅ ବର୍ଷ ଭାଗୁଆଳି ସରକାର ଚାଲିଲା ପରେ ଏବେ ଗୁପ୍ତ ବୁଝାମଣାରେ ସେହି ଭାଗୁଆଳି ସରକାର ଚାଲିଛି । ସାଧାରଣ ଜନତା ବେରୋଜଗାରୀ ଓ ଅତିଶୟ ଦରବୃଦ୍ଧିରେ ଅଣନିଶ୍ବାସୀ ହୋଇ ଗଲେଣି। ଏଣୁ ଜନତା ରାଜ୍ୟ ଓ କେନ୍ଦ୍ର ସରକାର ବଦଳାଇବା ପାଇଁ ଅଣ୍ଟା ଭିଡିଛନ୍ତି। ଆଜିର ସମ୍ବର୍ଦ୍ଧନା ସଭାରେ ଜିଲ୍ଲା କଂଗ୍ରେସ ତଥା ସମସ୍ତ ଛାମୁଆ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସଭାରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ବେହୁରା, ଆଇଏନଟିୟୁସିର ଉପସଭାପତି କିଶୋର ଜେନା, ପୂର୍ବତନ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ର, ନିଖିଳ ଭାରତ ମହିଳା କଂଗ୍ରେସ ସଂପାଦିକା ସସ୍ମିତା ବେହେରା, ଗତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଥିବା ବିଜୟ ଚାଉଳିଆ ଓ ସୁବ୍ରତ ଗଡନାୟକ ପ୍ରମୁଖ ମଞ୍ଚାସୀନ ଥାଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ ସମ୍ବର୍ଦ୍ଧନା ସଭାରେ କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କିଛି ସାମ୍ବାଦିକ ଓ ଓକିଲ ଦଳରେ ସାମିଲ ହେଲେ ଓ ସେମାନଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ । ଉକ୍ତ ସଭାରେ ସମସ୍ତ ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା, ସମସ୍ତ ବ୍ଲକ କଂଗ୍ରେସ ସଭାପତି, ଛାମୁଆ ସଂଗଠନର ସଭାପତି ଓ କର୍ମକର୍ତ୍ତା, ବିଭିନ୍ନ ସେଲର ଅଧ୍ୟକ୍ଷ ସହ ବହୁ ବରିଷ୍ଠ କଂଗ୍ରେସ ନେତା, ଯୁବ, ମହିଳା, ଛାତ୍ର ତଥା ସେବାଦଳର କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ରାଜ୍ୟ ଓବିସି ସେଲ ସମ୍ପାଦକ ଜିତେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

CongressOdisha CngressPCCPolitics
Comments (0)
Add Comment