Odisha News: ଭୁବନେଶ୍ୱର: ସ୍ଥିର ସରକାର, ପ୍ରଗତିଶୀଳ ଅର୍ଥନୀତି, ଅନେକ ଶିଳ୍ପ ପ୍ରୋତ୍ସାହନ ଯୋଜନା, ଯୁବା ପିଢ଼ିଙ୍କୁ ରୋଜଗାର ପ୍ରତିଶୃତି ସତ୍ତ୍ୱେ ଓଡ଼ିଶାରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ସଂଖ୍ୟା ଅଧିକ ରହିଛି। ରାଜ୍ୟ ଜନସଂଖ୍ୟା ତୁଳନାରେ ଏହା ୩୨ ପ୍ରତିଶତ। କେବଳ ଉତ୍ତର ପ୍ରଦେଶକୁ ଛାଡ଼ିଦେଲେ ଆଉ କୌଣସି ରାଜ୍ୟ ଆମ ରାଜ୍ୟଠୁ ଏକ୍ଷେତ୍ରରେ ଅଧିକ ନୁହେଁ। ଶ୍ରମ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ପକ୍ଷରୁ ସପ୍ତଦଶ ଲୋକସଭାରେ ଉପସ୍ଥାପନ କରାଯାଇଥିବା ସଦ୍ୟତମ ରିପୋର୍ଟରେ ଏହା କୁହାଯାଇଛି। ଏହି ରିପୋର୍ଟ ଅନୁସାରେ, ଓଡ଼ିଶାରେ ୬୧ ହଜାରରୁ ଅଧିକ ହେଉଛନ୍ତି ଶିକ୍ଷିତ ବେକାର। ବିଭିନ୍ନ କ୍ୟାରିୟର ସେଣ୍ଟରରେ ଏମାନେ ପଞ୍ଜିକରଣ କରି ସରକାରଙ୍କୁ ଚାକିରିଟିଏ ପାଇଁ ନିବେଦନ କରିଥିଲେ ମଧ୍ୟ ଫଳ କିଛି ମିଳିନାହିଁ। ଅଣ ସଂଗଠିତ ଶ୍ରମିକଙ୍କ ଲାଗି ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା, ଦୁର୍ଘଟଣା ବୀମା ଯୋଜନା ଥିଲେ ମଧ୍ୟ ଶିକ୍ଷିତ ବେକାରଙ୍କ ଲାଗି କୌଣସି ବ୍ୟବସ୍ଥା ନାହିଁ। ନିର୍ବାଚନ ମୁହାଁ ଓଡ଼ିଶାରେ ଏହା ସରକାରୀ ଦଳ ପାଇଁ ଏକ ଆହ୍ୱାନ ହୋଇପାରେ।
କୋଭିଡ୍ ପରିସ୍ଥିତି ସମୟରେ ଦେଶରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଯେମିତି ଆନ୍ତର୍ଜାତିକ ସ୍ତରରେ ଆମ ମୁଣ୍ଡ ନୁଆଁଇ ଦେଇଥିଲା, ତାହାକୁ ସମାଧାନ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଉଦ୍ୟମ ଭିତରେ ପ୍ରମୁଖ ହେଉଛି ଇ- ଶ୍ରମ ପୋର୍ଟାଲ୍। ଦେଶର ଅଣ ସଂଗଠିତ କ୍ଷେତ୍ରରେ ନିୟୋଜିତ ଶ୍ରମିକଙ୍କ ବାବଦରେ ତଥ୍ୟ ସଂଗ୍ରହ କରିବା ଲାଗି ସରକାର ଏହି ପୋର୍ଟାଲ୍ ଆରମ୍ଭ କରିଛନ୍ତି। ଏଥିରେ ପଞ୍ଜିକୃତ ଶ୍ରମିକଙ୍କ ନାଁ, ଠିକଣା, ଆଧାର ସଂଖ୍ୟା, ବୃତ୍ତି ଓ ନିଯୁକ୍ତି ସମ୍ବନ୍ଧରେ ତଥ୍ୟ ସବିଶେଷ ସ୍ଥାନ ପାଇଛି। ଯେଉଁଥିରେ ଦର୍ଶାଯାଇଛି ଯେ, ଦେଶରେ ଏବେ ୨୫ କୋଟି ଶ୍ରମିକ ଅଣ ସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି। ଅର୍ଥାତ୍ ଏହି ଶ୍ରମିକମାନେ ଦିନ ମଜୁରିଆ। ଏମାନଙ୍କ ପାଇଁ କୌଣସି ସଂସ୍ଥାର କୌଣସି ବୀମା ବା ସୁରକ୍ଷା ଯୋଜନା ନାହିଁ। ଏଣୁ ସରକାର ଏହି ପଞ୍ଜିକୃତ ଶ୍ରମିକଙ୍କ ଲାଗି ଇ ଶ୍ରମ ପୋର୍ଟାଲରେ ବୀମା ଯୋଜନା କରିଛନ୍ତି।
ଏହି ପୋର୍ଟାଲର ତଥ୍ୟ ଅନୁସାରେ ଓଡ଼ିଶାରେ ୧ କୋଟି ୩୩ ଲକ୍ଷ ୨୮ ହଜାର ୮୬୯ ଜଣ ଶ୍ରମିକ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ୨୦୧୧ ଜନଗଣନାକୁ ହିସାବ କଲେ ଏମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୩୨ ପ୍ରତିଶତ। ଉତ୍ତର ପ୍ରଦେଶ ଓ ଛତିଶଗଡ଼କୁ ଛାଡ଼ିଦେଲେ ଅନ୍ୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏତେ ସଂଖ୍ୟାରେ ଲୋକ ଅଣ ସଂଗଠିତ କ୍ଷେତ୍ରରେ ନିୟୋଜିତ ନାହାନ୍ତି। ଛତିଶଗଡ଼ରେ ମଧ୍ୟ ମୋଟ ଜନସଂଖ୍ୟାର ୩୨ ପ୍ରତିଶତ ଶ୍ରମିକ ଅଣ ସଂଗଠିତ କ୍ଷେତ୍ରରେ ନିୟୋଜିତ ଥିବାବେଳେ ବିଜେପି ଶାସିତ ଉତ୍ତରପ୍ରଦେଶରେ ସମୁଦାୟ ଜନସଂଖ୍ୟାର ୪୨ ପ୍ରତିଶତି ଅଣ ସଂଗଠିତ କ୍ଷେତ୍ରରେ ନିୟୋଜିତ ଥିବା ଦର୍ଶାଯାଇଛି। ଅଣ ସଂଗଠିତ କ୍ଷେତ୍ରରେ କୃଷି ଶ୍ରମିକଙ୍କ ସହିତ, ନିର୍ମାଣ ଶ୍ରମିକ, ଘରୋଇ ସହାୟକ, ପ୍ଲାଟଫର୍ମଶ୍ରମିକ, ସଫେଇ କର୍ମଚାରୀ ଅନ୍ତର୍ମୁକ୍ତ।
୧୩ ମାର୍ଚ୍ଚ ୨୦୨୩ରେ ଲୋକସଭାରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇଛି। ଏଥିରେ ଭାରତର ପ୍ରତିଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଅଣ ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ ସହ ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତି ସୃଷ୍ଟି ଲାଗି ନିଆଯାଇଥିବା ପଦକ୍ଷେପ, ଖର୍ଚ୍ଚହୋଇଥିବା ଅର୍ଥର ବିବରଣୀ ଉଲ୍ଲେଖ ରହିଛି। ଏହି ରିପୋର୍ଟରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା କ୍ୟାରିୟର ସେଣ୍ଟର ଯାହା ପୂର୍ବରୁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଭାବେ ପରିଚିତ ଥିଲା, ସେଠାରେ ଚାକିରି ଖୋଜୁଥିବା ଯୁବାଙ୍କ ବାବଦରେ ତଥ୍ୟ ଉପସ୍ଥାପନ କରାଯାଇଛି। ଏହି ତଥ୍ୟ ଅନୁସାରେ ଏବେ ସାରା ଦେଶରେ ୧୧ ଲକ୍ଷ ଯୁବକ ଯୁବତୀ ସେମାନଙ୍କ ଦକ୍ଷତା ଅନୁସାରେ ଚାକିରି ଲାଗି ସରକାରଙ୍କ ସହାୟତା ମାଗିଛନ୍ତି।
ଏହି ତାଲିକାରେ ଓଡ଼ିଶାର ସ୍ଥାନ ରହିଛି, ଅଷ୍ଟମ। ଦେଶରେ ସର୍ବାଧିକ ଚାକିରି ଖେଜୁଥିବା ଶିକ୍ଷିତ ବେକାରିଙ୍କ ସଂଖ୍ୟା ବିହାରରେ ରହିଥିବା ଏଥିରେ ଦର୍ଶାଯାଇଛି। ରିପୋର୍ଟ ଅନୁସାରେ ଏଠାରେ ୧ଲକ୍ଷ ୮୨ ହଜାର ଯୁବକ ଯୁବତୀ ସେମାନଙ୍କ ଦକ୍ଷତା ଅନୁସାରେ ଚାକିରି ପାଇଁ ପଞ୍ଜିକରଣ କରିଛନ୍ତି। ଏହା ତଳକୁ ରହିଛି ତ୍ରିପୁରା। ଏଠାରେ ୧ଲକ୍ଷ ୧୦ ହଜାର ୮୧୩ ଜଣ ଚାକିରି ପାଇଁ ପଞ୍ଜିକରଣ କରିଥିବାବେଳେ ରାଜସ୍ଥାନର ୧ଲକ୍ଷ ୫ ହଜାର ୯୪୧, ଉତ୍ତରପ୍ରଦେଶରେ ୧ ଲକ୍ଷ ୪ ହଜାର ୭୧୫ ଏବଂ ଗୁଜରାଟରେ ୧ଲକ୍ଷ ୮୭୭ ଜଣ ଶିକ୍ଷିତ ବେକାର ଯୁବକ ଯୁବତୀ ସରକାରଙ୍କୁ ଚାକିରି ଖଣ୍ଡେ ଯୋଗାଇବା ଲାଗି ନିବେଦନ କରିଛନ୍ତି। ଏହିପରି ଆବେଦକଙ୍କ ଭିତରେ ପଶ୍ଚିମ ବଙ୍ଗର ୮୮ ହଜାର ୫୦୯ ଜଣ ଏବଂ କର୍ଣ୍ଣାଟକର ୬୭ ହଜାର ୫୩୦ ଜଣ ଶିକ୍ଷିତ ଯୁବକ ଯୁବତୀ ରହିଛନ୍ତି।
ଓଡ଼ିଶା କଥା ଚିନ୍ତା କଲେ, ଅନ୍ୟ ପଡ଼ୋଶୀ ରାଜ୍ୟଙ୍କଠାରୁ ସମସ୍ୟା ଗମ୍ଭୀର ରହିଛି। ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ଆମ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ଛତିଶଗଡ଼ରେ ପଞ୍ଜିକୃତ ଶିକ୍ଷିତ ବେକାରଙ୍କଠାରୁ ଆମ ରାଜ୍ୟ ଆଗୁଆ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଗ୍ରହ କରାଯାଉଥିବା ବେକାରୀ ତଥ୍ୟ ପୁଲ୍ ( ତାଲିକା)ରେ ଓଡ଼ିଶା ମଧ୍ୟ ସାମିଲ୍ ରହିଛି। ଏହି ପୁଲ୍ର ବିବରଣୀକୁ ଆଧାର କରି ଷ୍ଟାଣ୍ଡିଂ କମିଟି ଦର୍ଶାଇଛି ଯେ ଆନ୍ଧ୍ରପ୍ରଦେଶରେ ୫୯ ହଜାର ୧୨, ଝାଡ଼ଖଣ୍ଡରେ ୨୪ ହଜାର ୭୩୫, ତେଲେଙ୍ଗାନାରେ ୧୩ ହଜାର ୭୪୭ ଏବଂ ଛତିଶଗଡ଼ରେ ୫୮ ହଜାର ୪୬୪ ଜଣ ଶିକ୍ଷିତ ବେକାର ନିଜ ପାଇଁ ଚାକିରି ଖଣ୍ଡେ ଯୋଗାଡ଼ କରିବାକୁ ସରକାରଙ୍କ ସାହାଯ୍ୟ ମାଗିଛନ୍ତି।
ରାଜ୍ୟ ସରକାରମାନେ ଏଦିଗରା ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଚାକିରି ଯୋଗାଇବାରେ ଅସର୍ଥ ଥିବାରୁ ସେମାନଙ୍କ ପାଇଁ ବେକାରି ଭତ୍ତା ଘୋଷଣା କରିଛନ୍ତି। ବିହାର, ଛତିଶଗଡ଼, ହରିୟାଣା, ମିଜୋରାମ, ମଣିପୁର, ମେଘାଳୟ, ତୟିପୁରା, ପଞ୍ଜାବ, ତାମିଲନାଡ଼ୁ, ରାଜସ୍ଥାନ, ଆଣ୍ଡାମାନ ନିକୋବର, ପଣ୍ଡିଚେରୀ, ଚଣ୍ଡିଗଡ଼, ଦିଲ୍ଲୀ ପ୍ରଭୃତି ଏପରି ବେକାରି ଭତ୍ତା ପ୍ରଦାନ କରୁଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭିତରେ ଅନ୍ୟତମ। ଆଗକୁ ନିର୍ବାଚନ ଆସୁଥିବାରୁ ଓଡ଼ିଶାର ଏହି ସମ୍ବେଦନଶୀଳ ସଂଖ୍ୟା ସରକାରଙ୍କୁ ଏ ଦିଗରେ ପ୍ରେରିତ କରିପାରେ।